ବାଂଲାଦେଶରେ IPL ପ୍ରସାରଣ ଉପରେ ବ୍ୟାନ୍‌ ଲଗାଇଲେ ୟୁନୁସ୍ ସରକାର, ମୁସ୍ତାଫିଜୁରଙ୍କୁ KKR ବାଦ୍‌ ଦେବାରୁ ବଢିଲା ବିବାଦ


 

ନୂଆଦିଲ୍ଲୀ: ବାଂଲାଦେଶ ସରକାର ଦେଶରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଟେଲିକାଷ୍ଟ ଏବଂ ଷ୍ଟ୍ରିମିଂ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରୋକ ଲଗାଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ଦଳରୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ମୁକ୍ତ କରାଯିବା ପରେ ୟୁନୁସ୍ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଏହି ଘଟଣା ସାମ୍ନାକୁ ଆସିଛି।

ଆଜି ବାଂଲାଦେଶ ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ବାଂଲାଦେଶର କ୍ରିକେଟ୍ ପ୍ରେମୀମାନେ ଆଉ ଆଇପିଏଲ୍ ମ୍ୟାଚ୍ କୌଣସି ଟିଭି ଚ୍ୟାନେଲ୍ କିମ୍ବା ଡିଜିଟାଲ୍ ପ୍ଲାଟଫର୍ମରେ ଦେଖିପାରିବେ ନାହିଁ। ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ, ବିସିସିଆଇ ବିନା କୌଣସି ଯୁକ୍ତିଯୁକ୍ତ କାରଣରେ ମୁସ୍ତାଫିଜୁରଙ୍କୁ ଆଇପିଏଲ୍‌ରୁ ବାଦ୍ ଦେବା ନିଷ୍ପତ୍ତି ନେଇଛି, ଯାହା ବାଂଲାଦେଶର ଜନସାଧାରଣଙ୍କୁ ବ୍ୟଥିତ ଓ କ୍ଷୁବ୍ଧ କରିଛି। ତେଣୁ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆଇପିଏଲ୍‌ର ସମସ୍ତ ପ୍ରସାରଣ ବନ୍ଦ ରହିବ।

ଉଲ୍ଲେଖଯୋଗ୍ୟ ଯେ, ମିନି ନିଲାମରେ କେକେଆର ମୁସ୍ତାଫିଜୁରଙ୍କୁ ୯.୨୦ କୋଟି ଟଙ୍କାରେ କିଣିଥିଲା। ତେବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବା ପରେ, ବିସିସିଆଇ କୋଲକାତା ଫ୍ରାଞ୍ଚାଇଜିକୁ ତାଙ୍କୁ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା। ନିୟମ ଅନୁଯାୟୀ କେକେଆର ତାଙ୍କୁ ମୁକ୍ତ କରିଛି ଏବଂ ଏବେ ଦଳ ଜଣେ ବିକଳ୍ପ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରିପାରିବ।

Post a Comment

0 Comments