ଓଡ଼ିଶାରେ ଗୋ ଚାଲାଣ ଓ ଗୋମାଂସ ମାଫିଆଙ୍କ ବିରୋଧରେ ବିଜେପି ସରକାର ଏବେ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ, ଏହି ସରକାରରେ ଗୋ ଚାଲାଣକାରୀଙ୍କ ପାଇଁ କୌଣସି ସ୍ଥାନ ନାହିଁ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୫ଟି ଭିନ୍ନ ଭିନ୍ନ ସ୍ଥାନରେ ଗୋ ମାଫିଆଙ୍କ ଘରେ ଚଢ଼ାଉ କରାଯାଇଛି। କେବଳ ସେତିକି ନୁହେଁ, ଯେଉଁମାନେ ଗୋମାଂସ ଚାଲାଣରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ସମ୍ପତ୍ତି ମଧ୍ୟ ସରକାର ବାଜ୍ୟାପ୍ତି କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।
ପୂର୍ବ ସରକାରଙ୍କ ସମୟରେ ଏହି ମାଫିଆମାନେ ଅଧିକ ସକ୍ରିୟ ଥିଲେ ବୋଲି ଦର୍ଶାଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଗୋମାଂସ ଚାଲାଣକାରୀମାନେ ଏବେ ସୁଧୁରି ଯାଆନ୍ତୁ, ନଚେତ୍ ପୋଲିସ ଓ ପ୍ରଶାସନ ପକ୍ଷରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ। ଗୋ ସମ୍ପଦର ସୁରକ୍ଷା ପାଇଁ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇଥିବା ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି।

0 Comments