ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଏନସିଆର ଅଞ୍ଚଳରେ ପ୍ରବଳ ଶୀତର ପ୍ରକୋପ ଜାରି ରହିଛି। ଗତ ପାଞ୍ଚ ଦିନ ଧରି ତୀବ୍ର ଶୀତ ଲହରୀ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିବା ବେଳେ ଲୋକେ ପ୍ରବଳ ଥଣ୍ଡାରେ ଥରୁଛନ୍ତି। ତେବେ ଶୁକ୍ରବାର ଦିନ ବେଳା ସୂର୍ଯ୍ୟ ଦେବତାଙ୍କ ଦର୍ଶନ ମିଳିବା ପରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ସକାଳୁ ଘନ କୁହୁଡ଼ି ଦେଖାଯାଇଥିଲେ ମଧ୍ୟ ମଧ୍ୟାହ୍ନରେ ହାଲୁକା ସୂର୍ଯ୍ୟକିରଣ ପରିବେଶକୁ କିଛିଟା ଉଷୁମ କରିଥିଲା।
ଭାରତୀୟ ପାଣିପାଗ ବିଭାଗ ର ପୂର୍ବାନୁମାନ ଅନୁଯାୟୀ, ଆଜି ଅର୍ଥାତ୍ ଜାନୁଆରୀ 17 ତାରିଖରେ ମଧ୍ୟ ଦିଲ୍ଲୀରେ ମଧ୍ୟମରୁ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ଏଥିପାଇଁ ବିଭାଗ ପକ୍ଷରୁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି, ଯାହା ଫଳରେ ଯାତାୟାତ ଓ ପରିବହନ ସେବା ବାଧାପ୍ରାପ୍ତ ହୋଇପାରେ। ଆକାଶ ଆଂଶିକ ମେଘୁଆ ରହିବା ସହ ଥଣ୍ଡା ପବନର ପ୍ରଭାବ ଜାରି ରହିବ। ଦିନ ବଢ଼ିଲେ କୁହୁଡ଼ି କମିବା ସହ ହାଲୁକା ଖରା ହୋଇପାରେ, କିନ୍ତୁ ସନ୍ଧ୍ୟା ହେଲେ ପୁଣି ଥରେ ପାରଦ ଖସିବା ସହ ଶୀତ ଓ କୁହୁଡ଼ିର ପ୍ରଭାବ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି।

0 Comments