ଛତିଶଗଡ଼ରେ ବଡ଼ ଏନକାଉଣ୍ଟର: ସୁରକ୍ଷାକର୍ମୀମଙ୍କ ଗୁଳିରେ ସୁକମା ଓ ବିଜାପୁରରେ ୧୪ ମାଓବାଦୀ ନିହତ


 


ଛତିଶଗଡ଼: ଛତିଶଗଡ଼ର ଦକ୍ଷିଣ ବସ୍ତର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ରାଜ୍ୟର ସୁକମା ଏବଂ ବିଜାପୁର ଜିଲ୍ଲାରେ ହୋଇଥିବା ଦୁଇଟି ପୃଥକ ଏନକାଉଣ୍ଟରରେ ମୋଟ ୧୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସୁକମା ଜିଲ୍ଲାର କୋଣ୍ଟା-କିଷ୍ଟାରାମ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ହୋଇଥିଲା। ସୁକମା ଏସପି କିରଣ ଚୌହ୍ୱାନଙ୍କ ସୂଚନା ଅନୁଯାୟୀ, ଗୁଇନ୍ଦା ସୂଚନା ଆଧାରରେ DRG (ଜିଲ୍ଲା ରିଜର୍ଭ ଗାର୍ଡ) ପକ୍ଷରୁ ଏହି ଅପରେସନ୍ କରାଯାଇଥିଲା। ଏହି ଏନକାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି ଏବଂ ସେମାନଙ୍କ ନିକଟରୁ ଏକେ-୪୭ ଓ ଇନସାସ୍ ରାଇଫଲ ଜବତ କରାଯାଇଛି।ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ନିହତ ମାଓବାଦୀଙ୍କ ମଧ୍ୟରେ କୋଣ୍ଟା ଏରିଆ କମିଟିର ସଦସ୍ୟ ସଚିନ୍ ମାଙ୍ଗଡୁ ସାମିଲ ଅଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କୋଣ୍ଟା ASP ଆକାଶ ରାଓ ଗିରେପୁଞ୍ଜେଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ସମସ୍ତ ମାଓବାଦୀ କମାଣ୍ଡର ଏହି ଅପରେସନରେ ନିହତ ହୋଇଛନ୍ତି।ଅନ୍ୟପକ୍ଷରେ, ବିଜାପୁର ଜିଲ୍ଲାର ଦକ୍ଷିଣ ଅଞ୍ଚଳରେ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଶନିବାର ଭୋର ୫ଟା ସମୟରେ DRG ଟିମ୍ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଏହି ଗୁଳିବିନିମୟ ହୋଇଥିଲା।  ବର୍ତ୍ତମାନ ସୁଦ୍ଧା ଉଭୟ ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Post a Comment

0 Comments