ବିଜୁ ଜନତା ଦଳରେ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟକଳାପକୁ କେବେ ବି ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସଭାପତି ନବୀନ ପଟ୍ଟନାୟକ ପୁଣି ଥରେ ସ୍ପଷ୍ଟ କରିଛନ୍ତି। ଦଳର ସମ୍ମାନ ଓ ଶୃଙ୍ଖଳାକୁ ସବୁଠାରୁ ଊର୍ଦ୍ଧ୍ୱରେ ରଖି ନବୀନ ଆଜି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଅଭିଯୋଗ ଅନୁସାରେ, ବିଧାୟକ ସନାତନ ମହାକୁଡ଼ ବିଭିନ୍ନ ସମୟରେ ସର୍ବସାଧାରଣରେ ଦଳର ସମାଲୋଚନା କରିବା ସହ କେନ୍ଦୁଝର ଜିଲ୍ଲାରେ ସଂଗଠନକୁ ଦୁର୍ବଳ କରୁଥିଲେ। ସେହିପରି ଅରବିନ୍ଦ ମହାପାତ୍ର ମଧ୍ୟ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ ସୁପ୍ରିମୋଙ୍କ ପାଖରେ ରିପୋର୍ଟ ପହଞ୍ଚିଥିଲା। ନବୀନ ପଟ୍ଟନାୟକ ଦୀର୍ଘ ଦିନ ଧରି ଉଭୟଙ୍କ ଗତିବିଧିକୁ ନଜର ରଖିବା ସହ ସେମାନଙ୍କୁ ସୁଧୁରିବା ପାଇଁ ସୁଯୋଗ ଦେଇଥିଲେ, ମାତ୍ର ସେମାନଙ୍କ ଆଚରଣରେ କୌଣସି ପରିବର୍ତ୍ତନ ନଆସିବାରୁ ଶେଷରେ କଡ଼ା ପଦକ୍ଷେପ ସ୍ୱରୂପ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି। ଦଳର ବରିଷ୍ଠ ନେତାଙ୍କ ମତରେ, ଯିଏ ବି ଦଳ ବିରୋଧରେ ଷଡ଼ଯନ୍ତ୍ର କରିବ ତାଙ୍କ ବିରୋଧରେ ଏଭଳି କଠୋର ନିଷ୍ପତ୍ତି ନିଆଯିବ, ଯାହା ଅନ୍ୟମାନଙ୍କ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା।

0 Comments