ଇରାନରେ ଦେଖାଦେଇଥିବା ଭୟଙ୍କର ଗଣବିକ୍ଷୋଭ ଏବଂ ହିଂସାତ୍ମକ ପରିସ୍ଥିତି ଏବେ ଅଣାୟତ୍ତ ହେବାରେ ଲାଗିଛି। ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ବିରୋଧରେ ହଜାର ହଜାର ଜନତା ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ସୁରକ୍ଷା ବାହିନୀ ସହ ସଂଘର୍ଷ ଯୋଗୁଁ ସେଠାରେ ରକ୍ତପାତ ଜାରି ରହିଛି। ଏଭଳି ସଙ୍କଟଜନକ ସ୍ଥିତିକୁ ଦୃଷ୍ଟିରେ ରଖି ତେହେରାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ଜରୁରୀକାଳୀନ ପରାମର୍ଶବଳୀ ଜାରି କରାଯାଇଛି। ଇରାନରେ ରହୁଥିବା ସମସ୍ତ ଭାରତୀୟ ନାଗରିକ, ବିଶେଷ କରି ଛାତ୍ର, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ବ୍ୟବସାୟୀମାନଙ୍କୁ ଯଥାଶୀଘ୍ର ଦେଶ ଛାଡ଼ିବାକୁ ଅନୁରୋଧ କରାଯାଇଛି।
ଦୂତାବାସ ପକ୍ଷରୁ ଭାରତୀୟମାନଙ୍କୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ କୁହାଯିବା ସହ ବିକ୍ଷୋଭ ଚାଲିଥିବା ସ୍ଥାନଗୁଡ଼ିକରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ସେଠାରେ ରହୁଥିବା ନାଗରିକମାନେ ନିଜର ପାସପୋର୍ଟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସୁରକ୍ଷିତ ରଖିବା ସହିତ ଦୂତାବାସର ପୋର୍ଟାଲରେ ନିଜର ନାମ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଇଣ୍ଟରନେଟ୍ ସେବା ବ୍ୟାହତ ଯୋଗୁଁ ପଞ୍ଜିକରଣ ସମ୍ଭବ ହେଉନାହିଁ, ତେବେ ଭାରତରେ ଥିବା ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ। ଯେକୌଣସି ଜରୁରୀ ସହାୟତା ପାଇଁ ଦୂତାବାସ ପକ୍ଷରୁ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୨୮ ତାରିଖରୁ ଆର୍ଥିକ ସଙ୍କଟକୁ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ଉଗ୍ର ରୂପ ଧାରଣ କରିଛି। ସୁରକ୍ଷା ବାହିନୀର ଗୁଳିମାଡ଼ରେ ଅନେକ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଇରାନ ସରକାର ଏହି ବିଦ୍ରୋହ ପଛରେ ଆମେରିକାର ହାତ ଥିବା ନେଇ ପାଲଟା ଅଭିଯୋଗ ଆଣିଛନ୍ତି। ପରିସ୍ଥିତି ଜଟିଳ ହେଉଥିବାରୁ ଭାରତ ସରକାର ନିଜ ନାଗରିକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

0 Comments