ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କ ଉପରେ ବର୍ବର ଆକ୍ରମଣ: ବ୍ୟକ୍ତିଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ



ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ଥମିବାର ନାଁ ନେଉନାହିଁ। ନିକଟରେ ଡିସେମ୍ବର ୩୧ ତାରିଖ ଦିନ ଶରିୟତପୁର ଜିଲ୍ଲାରେ ଖୋକନ୍ ଦାସ (୫୦) ନାମକ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ରିପୋର୍ଟ ଅନୁଯାୟୀ, ଏକ ଉତ୍ତ୍ୟକ୍ତ ଜନତା ତାଙ୍କୁ ଘେରିଯାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ନିଆଁ ଲଗାଇ ଦେଇଥିଲେ। ଗତ ଦୁଇ ସପ୍ତାହ ମଧ୍ୟରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଏହା ଚତୁର୍ଥ ବଡ଼ ଆକ୍ରମଣ, ଯାହା ସମଗ୍ର ବିଶ୍ୱରେ ଚିନ୍ତାର ବିଷୟ ପାଲଟିଛି । ଏହି ଘଟଣା ପୂର୍ବରୁ ମଧ୍ୟ ଅନେକ ବର୍ବର କାଣ୍ଡ ଘଟିସାରିଛି। ଗତ ଡିସେମ୍ବର ୨୪ ତାରିଖରେ ହୋସେନଡାଙ୍ଗା ଅଞ୍ଚଳରେ ଅମୃତ ମଣ୍ଡଳ (୨୯) ନାମକ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ସେହିପରି ଡିସେମ୍ବର ୧୮ ତାରିଖରେ ମୟମନସିଂହ ଜିଲ୍ଲାରେ ଦୀପୁ ଚନ୍ଦ୍ର ଦାସ (୨୫) ନାମକ ଯୁବକଙ୍କୁ ଧର୍ମନିନ୍ଦା ଅଭିଯୋଗରେ ହତ୍ୟା କରି ତାଙ୍କ ମୃତଦେହକୁ ଗଛରେ ଝୁଲାଇ ପୋଡ଼ି ଦିଆଯାଇଥିଲା। ମାନବାଧିକାର ସଂଗଠନଗୁଡ଼ିକ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ଭାରତ ସରକାର ଚିନ୍ତା ପ୍ରକଟ କରିବା ସହ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଭାରତର ଅଭିଯୋଗକୁ ଖଣ୍ଡନ କରି ଏହାକୁ "ଅତିରଞ୍ଜିତ" ବୋଲି ଦର୍ଶାଇଛି। ଅନ୍ୟପକ୍ଷରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବର୍ତ୍ତମାନର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାରକୁ ସମାଲୋଚନା କରି କହିଛନ୍ତି ଯେ, ସରକାର ଉଗ୍ରବାଦୀଙ୍କୁ ପ୍ରଶ୍ରୟ ଦେଉଛନ୍ତି, ଯାହାଦ୍ୱାରା ସଂଖ୍ୟାଲଘୁମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି।

Post a Comment

0 Comments