ଡାକ୍ତର ଶୂନ୍ୟ ଡାକ୍ତରଖାନା, କବିସୂର୍ଯ୍ୟନଗରରେ ରୋଗୀ ସେବା ନାଁରେ ମରଣ ନୀତି


ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ବାସ୍ତବ ଚିତ୍ର ଏବେ ପଦାରେ ପଡିଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଥିବା ଏହି ଡାକ୍ତରଖାନାରେ ସରକାରୀ ନିୟମ ମୁତାବକ ୬ ଜଣ ଡାକ୍ତର ରହିବା ବାଧ୍ୟତାମୂଳକ। କିନ୍ତୁ ବିଡମ୍ବନାର ବିଷୟ ହେଉଛି, ଏଠାରେ ବର୍ତ୍ତମାନ ଜଣେ ହେଲେ ବି ସ୍ଥାୟୀ ଡାକ୍ତର ନାହାନ୍ତି। ଦୀର୍ଘ ଦିନ ଧରି ଚାଲିଥିବା ଏହି ଲୁକ୍କାୟିତ ଘଟଣା ଆଜି ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। କାମଚଳା ବ୍ୟବସ୍ଥା ଭାବରେ ବରିଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜଣେ ଡାକ୍ତରଙ୍କୁ ଦିନକ ପାଇଁ ଡେପୁଟେସନରେ ଅଣାଯାଇ ରୋଗୀ ସେବା କରାଯାଉଛି। ଆଜି ଡାକ୍ତରଖାନାକୁ ଆସିଥିବା ବହୁ ରୋଗୀ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ମଧ୍ୟ ଡାକ୍ତରଙ୍କ ଦେଖା ପାଇନଥିଲେ। ଫଳରେ ମୁମୂର୍ଷୁ ଅବସ୍ଥାରେ ଥିବା ଅନେକ ରୋଗୀ ନିରାଶ ହୋଇ ଶେଷରେ ଆସିକା ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହୋଇଥିଲେ। ଏଠାରେ ସେବା ନାଁରେ କେବଳ ପ୍ରହସନ ଚାଲିଛି ଏବଂ ସରକାରଙ୍କ ଏହା ଏକ ମାରଣ ନୀତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଦୁର୍ବଳ ପ୍ରଶାସନ ଓ ସରକାରଙ୍କ ଅବହେଳା ଯୋଗୁଁ ଆଜି ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ଡେପୁଟେସନରେ ଥିବା ଡାକ୍ତର ଜଣକ ସତ ମାନିଥିଲେ ଯେ ଏଠାରେ ଡାକ୍ତର ପଦବୀ ଖାଲି ପଡିଛି। ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ରୋଗୀ କଲ୍ୟାଣ ସମିତିର ବୈଠକ ବସୁଥିବା ସତ୍ତ୍ୱେ ଏବଂ ପୂର୍ବତନ ଇନଚାର୍ଜ ଥାଇ ମଧ୍ୟ ଏହି ଅବ୍ୟବସ୍ଥାକୁ କାହିଁକି ଲୁଚାଇ ରଖାଯାଇଥିଲା? ବିନା ଡାକ୍ତରରେ ଡାକ୍ତରଖାନା ଚାଲିଛି କିପରି ? ଆଉ କେତେ ଲୋକ ମରିଲେ ପ୍ରଶାସନର ଚେତା ପଶିବ ବୋଲି ଅସନ୍ତୁଷ୍ଟ ରୋଗୀ ଓ ସାଧାରଣ ଜନତା ପ୍ରଶ୍ନ କରିଛନ୍ତି।
 #Kabisuryanagar #HospitalNegligence #NoDoctors #HealthCrisis #GanjamNews #OdishaHealth  #PublicAnger #TarjamaNews

କବିସୂର୍ଯ୍ୟନଗରରୁ କୃଷ୍ଣ ନାହକଙ୍କ ରିପୋର୍ଟ

Post a Comment

0 Comments