ବିଦ୍ୟାଳୟର ଶିକ୍ଷୟିତ୍ରୀ ଅର୍ପିତା ପ୍ରଧାନ କହିଛନ୍ତି ଯେ, ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ ହେଉଛି ଓଡ଼ିଶାର ସର୍ବବୃହତ ପୁସ୍ତକ ମହୋତ୍ସବ। ବିଦ୍ୟାଳୟର ପାଠ୍ୟପୁସ୍ତକ ଠାରୁ ଆରମ୍ଭ କରି ସବୁ ଲେଖକମାନଙ୍କର ଗଳ୍ପ, କବିତା, ଉପନ୍ୟାସ ପୁସ୍ତକ ଏଠାରେ ଉପଲବ୍ଧ ହେଉଛି।ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୁସ୍ତକ ପଠନର ଅଭ୍ୟାସକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ମଧ୍ୟରେ ସୃଜନାତ୍ମକ କଳାର ବିକାଶ କରିବା ନିମନ୍ତେ ବିଦ୍ୟାଳୟ ପକ୍ଷରୁ ଏହି ଷ୍ଟଡ଼ି ଟୁରର ଆୟୋଜନ କରାଯାଇଛି, ଯାହା ଛାତ୍ରଛାତ୍ରୀମାନଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିଛି। ଅପର ପକ୍ଷରେ ଧାର୍ମିକ ପୁସ୍ତକ କିଣିବା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଓ ଗୀତାପ୍ରେସ ଗୋରଖପୁର ଦ୍ୱାରା ନିର୍ମିତ ହୋଇଥିବା ଷ୍ଟଲରେ ବୟୋଜ୍ୟୋଷ୍ଠ ପାଠକମାନଙ୍କର ବେଶ୍ ଭିଡ଼ ଦେଖିବାକୁ ମିଳୁଛି। ଶ୍ରୀ ମନ୍ଦିର ପ୍ରଶାସନ ଷ୍ଟଲରେ “ଶ୍ରୀମନ୍ଦିର” ପତ୍ରିକାକୁ ପାଠକମାନେ ବେଶ୍ ପସନ୍ଦ କରୁଛନ୍ତି। ଏଥିସହ ପାଠକମାନେ “ଶ୍ରୀ ଜଗନ୍ନାଥ”, “ଶ୍ରୀ ରୁଦ୍ରଚଣ୍ଡୀ”, “ନୀତି ପରମ୍ପରାରେ ଶ୍ରୀ ମନ୍ଦିର”, “ମହାପ୍ରଭୁଙ୍କ ବସ୍ତ୍ର ବୈଭବ”, “ଅମୃତ ଅନୁଭବ” ଆଦି ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ପୁସ୍ତକ କିଣୁଛନ୍ତି। ସେହିପରି ଭାବେ ଗୀତା ପ୍ରେସ, ଗୋରଖପୁର ଷ୍ଟଲରେ “ଶ୍ରୀମଦ ଭାଗବତ ଗୀତା”, “ବାଲ୍ମୀକି ରାମାୟଣ”, “ଶିବ ପୁରାଣ”, “ରାମଚରିତ ମାନସ”, “ଶ୍ରୀ ଭକ୍ତି ଚରିତାମୃତ” ଆଦି ଗ୍ରନ୍ଥ ପୁସ୍ତକ କିଣିବା ପାଇଁ ପାଠକମାନଙ୍କର ଭିଡ଼ ଦେଖିବାକୁ ମିଳୁଛି। ପ୍ରକାଶଯୋଗ୍ୟ ଯେ, ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଡିସେମ୍ବର ୬ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଆୟୋଜନ କରାଯାଉଛି। ଚଳିତ ଥର ୫୫୦ଟି ଷ୍ଟଲ ନିର୍ମାଣ ହେବା ସହ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ପୁସ୍ତକ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି।
0 Comments