ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ପୁଣି ଏକ ନୂଆ କମ୍ପନ। ନୂଆବର୍ଷ ଆସିବା ପୂର୍ବରୁ ବିଜେଡି ଶିବିରରେ ଦେଖିବାକୁ ମିଳିଛି ଏକ ଭିନ୍ନ ଧରଣର ସମୀକରଣ। ଦଳ ଭିତରେ କୋଣଠେସା ହୋଇ ରହିଥିବା ଏବଂ ଗତ ନିର୍ବାଚନରେ ପରାଜିତ ହୋଇଥିବା କିଛି ହେଭିୱେଟ୍ ନେତା ଏବେ ଏକାଠି ହୋଇଛନ୍ତି।
ବନ୍ଧୁ ମିଳନ’ ନାଁରେ ଶକ୍ତି ପ୍ରଦର୍ଶନ ଆଜି ଭୁବନେଶ୍ୱର ଉପକଣ୍ଠରେ ଏକ ବିଶାଳ ‘ବନ୍ଧୁ ମିଳନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯଦିଓ ଉପରକୁ ଏହା ଏକ ସାଧାରଣ ଏକାଠି ହେବା କାର୍ଯ୍ୟକ୍ରମ ପରି ମନେ ହେଉଥିଲା, କିନ୍ତୁ ଏଠାରେ ଉପସ୍ଥିତ ଥିବା ଚେହେରାମାନେ ଅନେକ କିଛି ଇଙ୍ଗିତ କରୁଛନ୍ତି। ଏହି ବୈଠକରେ ଦେବାଶିଷ ସାମନ୍ତରାୟ, ପ୍ରୀତିରଞ୍ଜନ ଘଡ଼େଇ, ରାଜେନ୍ଦ୍ର ସାହୁ, ସଞ୍ଜୟ ଦାସବର୍ମା, ଚନ୍ଦ୍ରସାରଥୀ ବେହେରା, ସମ୍ବିତ ରାଉତରାୟ ଏବଂ ଲତିକା ପ୍ରଧାନଙ୍କ ଭଳି ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଥିଲା। ଏମାନଙ୍କ ସହ ପ୍ରଭୁ ଜାନୀ ଏବଂ ମହିଧର ରଣା ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ଥିଲେ।
ଯୁବ ନେତୃତ୍ୱ ଓ ନୂଆ ସମୀକରଣ
ଏହି ମେଳିକୁ ନେଇ ନେତାମାନେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ପ୍ରଭୁ ଜାନୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, "ଯୁବ ନେତୃତ୍ୱଙ୍କୁ ନେଇ ଏକ ନୂଆ ସମୀକରଣ ଆରମ୍ଭ ହେବ।" ଯାହା ଦଳ ଭିତରେ ନୂଆ ରଣନୀତି ପ୍ରସ୍ତୁତ ହେଉଥିବା ସ୍ପଷ୍ଟ କରୁଛି। ଅନ୍ୟପଟେ ମହିଧର ରଣା କହିଛନ୍ତି, "ଏଭଳି ଆଲୋଚନା ଓ ଏକାଠି ହେବା ଦ୍ୱାରା ସଂଗଠନ ଆହୁରି ସୁଦୃଢ଼ ହେବ। "ତେବେ ପ୍ରଶ୍ନ ଉଠୁଛି, ପରାଜିତ ଓ ଅସନ୍ତୁଷ୍ଟ ନେତାଙ୍କର ଏହି ହଠାତ୍ ଏକତ୍ରୀକରଣ ଦଳୀୟ ହାଇକମାଣ୍ଡଙ୍କ ପାଇଁ କୌଣସି ବାର୍ତ୍ତା ନା କେବଳ ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ଏକ ପ୍ରୟାସ? ନୂଆବର୍ଷରେ ଏହି ‘ମେଳି’ ରାଜନୀତି କେଉଁ ମୋଡ଼ ନେବ, ତାହା ଦେଖିବା ବାକି ରହିଲା।
0 Comments